ନୂଆଦିଲ୍ଲୀ: ରୋଲାଣ୍ଡ ଗାରୋସରେ ୫ଘଣ୍ଟା ୨୯ ମିନିଟ୍ ଧରି ଖେଳାଯାଇଥିବା ଐତିହାସିକ ଫାଇନାଲରେ ସ୍ପେନର କାର୍ଲୋସ ଅଲକାରାଜ ପୁଣି ଥରେ ନିଜର ଶ୍ରେଷ୍ଠତା ସ୍ଥାପନ କରିଛନ୍ତି । ଫ୍ରେଞ୍ଚ ଓପନ୍ ଇତିହାସର ସବୁଠାରୁ ଲମ୍ବା ଏବଂ ସବୁଠାରୁ ରୋମାଞ୍ଚକର ପାଞ୍ଚ ସେଟ୍ ଫାଇନାଲରେ, ଅଲକାରାଜ ସୁପର ଟାଇବ୍ରେକରରେ ଶୀର୍ଷ ସିଡ୍ ଇଟାଲୀର ଜାନିକ୍ ସିନରଙ୍କୁ ମାତ୍ ଦେଇ ନିଜର ଦ୍ୱିତୀୟ ରୋଲାଣ୍ଡ ଗାରୋସ ଟ୍ରଫି ଜିତିଛନ୍ତି । ପ୍ରଥମ ଦୁଇ ସେଟ ହରାଇବା ପରେ ବି ଅଲକାରାଜ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪-୬, ୬-୭ (୪), ୬-୪, ୭-୬ (୩), ୭-୬ (୧୦-୨)ରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଛନ୍ତି । ଏହା ତାଙ୍କର ଦ୍ୱିତୀୟ ଫ୍ରେଞ୍ଚ ଓପନ୍ ଏବଂ ମୋଟ ଉପରେ ପଞ୍ଚମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ।
୨୨ ବର୍ଷୀୟ ଅଲକାରାଜ ଫିଲିପ୍ ଚାଟିଅର କୋର୍ଟରେ ଦୁନିଆ ସାମନାରେ ଏକ ନୂଆ ଉଦାହରଣ ସୃଷ୍ଟି କରିଥିଲେ । ଜଣେ ଖେଳାଳିର ମନୋଭାବ କିପରି ରହିବା ଦରକାର ସେ ତାର ଜ୍ୱଳନ୍ତ ଉହାରଣ ସାଜିଥିଲେ । ପ୍ରଥମ ଦୁଇ ସେଟ୍ ଜିତି ସାରିବା ପରେ ଚତୁର୍ଥ ସେଟରେ ସିନରଙ୍କ ପାଖରେ ତିନୋଟି ମ୍ୟାଚ୍ ପଏଣ୍ଟ ଥିଲା । ଲାଗୁଥିଲା ଯେ ସେ ୪୯ ବର୍ଷ ପରେ ଫ୍ରେଞ୍ଚ ଓପନ୍ ଟାଇଟଲ୍ ଜିତିବାରେ ପ୍ରଥମ ଇଟାଲୀୟ ଖେଳାଳି ହେବେ, କିନ୍ତୁ ଅଲକାରାଜ ନୂଆ ଇତିହାସ ଲେଖିବା ପାଇଁ ଓହ୍ଲାଇଥିଲେ । ୦-୪୦ ପଛରେ ରହିବା ସତ୍ତ୍ୱେ, ସେ କେବଳ ତିନୋଟି ମ୍ୟାଚ୍ ପଏଣ୍ଟ ବଞ୍ଚାଇ ନଥିଲେ, ବରଂ ମ୍ୟାଚକୁ ୫-୫ରେ ଡ୍ର' ମଧ୍ୟ କରିଥିଲେ । ଏହି ସେଟ୍ର ଟାଇବ୍ରେକରକୁ ୭-୩ରେ ଜିତି ସେ ମ୍ୟାଚକୁ ଦୁଇଟି ସେଟ୍ ଡ୍ର' କରିଥିଲେ । ପଞ୍ଚମ ସେଟ୍ରେ ସିନର ୫-୪ ସ୍କୋରରେ ଅଲକାରାଜଙ୍କ ସର୍ଭିସ୍ ଭାଙ୍ଗି ମ୍ୟାଚ୍କୁ ସୁପର ଟାଇବ୍ରେକରକୁ ନେଇଯାଇଥିଲେ, ଯାହାକୁ ଅଲକାରାଜ ୧୦-୨ରେ ଜିତିଥିଲେ ।
ଏହା ପୂର୍ବରୁ ୧୯୮୨ରେ ଖେଳାଯାଇଥିବା ଫାଇନାଲ୍ ଫ୍ରେଞ୍ଚ୍ ଓପନର ଆଜି ଯାଏ ସବୁଠୁ ଦୀର୍ଘ ସମୟ ଯାଏ ଖେଳାଯାଇଥିବା ମ୍ୟାଚ୍ ଥିଲା । ମ୍ୟାଟ୍ସ ୱିଲାଣ୍ଡର ଏବଂ ଗିଲେର୍ମୋ ଭିଲାସଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍ ୪ ଘଣ୍ଟା ୪୨ ମିନିଟ୍ ଧରି ଚାଲିଥିଲା ।
ଅଲକାରାଜଙ୍କ ପ୍ରତ୍ୟାବର୍ତ୍ତନ ଏକ ଇତିହାସ
ଚତୁର୍ଥ ସେଟରେ ଅଲକାରାଜଙ୍କ ପ୍ରତ୍ୟାବର୍ତ୍ତନ ଟେନିସ୍ ଇତିହାସର ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ । ସ୍ପାନିସ୍ ଖେଳାଳିଙ୍କ ସର୍ଭିସ୍ ଭାଙ୍ଗି ୫-୩ରେ ସିନର ଆଗୁଆ ଥିଲେ । ସେଟ୍ର ନବମ ଖେଳରେ ଅଲକାରାଜ ତାଙ୍କ ସର୍ଭିସ୍ ବଞ୍ଚାଇବା ସ୍ଥିତିରେ ନଥିଲେ । ସ୍କୋର ୦-୪୦ ଥିଲା ଏବଂ ସିନରଙ୍କ ସପକ୍ଷରେ ତିନୋଟି ମ୍ୟାଚ୍ ପଏଣ୍ଟ ଥିଲା । ସମସ୍ତେ ଭାବୁଥିଲେ ଯେ ଟାଇଟଲ୍ ସିନର ଜିତିବେ । କିନ୍ତୁ ଅଲକାରାଜ ହାର ମାନି ନଥିଲେ ଏବଂ ଲଢ଼ୁଆ ମନବୃତ୍ତି ଦେଖାଇ ତାଙ୍କ ସର୍ଭିସ୍ ବଞ୍ଚାଇଥିଲେ । ଫ୍ରେଞ୍ଚ ଓପନ୍ ଟାଇଟଲ୍ ଜିତିଥିବା ଅଲକାରାଜଙ୍କୁ ପୁରସ୍କାର ରାଶି ବାବଦକୁ ୨ ଲକ୍ଷ ୫୫ ହଜାର ୟୁରୋ ପ୍ରାୟ ୨୫ କୋଟି ଟଙ୍କା ମିଳିଛି । ଯାହା IPL ୨୦୨୫ ପୁରସ୍କାର ରାଶି ତୁଳନାରେ ୫ କୋଟି ଟଙ୍କା ଅଧିକ । IPL ଟାଇଟଲ୍ ଜିତିଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୦ କୋଟି ଟଙ୍କା ମିଳିଥିଲା । ଅଲକାରାଜ ତାଙ୍କ କ୍ୟାରିୟରରେ ଦୁଇଟି ୱିମ୍ବଲଡନ୍ (୨୦୨୩, ୨୦୨୪), ଦୁଇଟି ଫ୍ରେଞ୍ଚ୍ ଓପନ୍ (୨୦୨୪, ୨୦୨୫) ଏବଂ ଗୋଟିଏ ୟୁଏସ୍ ଓପନ୍ (୨୦୨୨) ଟାଇଟଲ୍ ଜିତିଛନ୍ତି ।